Unknown

 

 

 

 

 

 

 

 

 

ମହର୍ଷି ଦେବେନ୍ଦ୍ରନାଥ ଠାକୁର

ଭକ୍ତକବି ମଧୁସୂଦନ ରାଓ

 

(୧)

 

ସାରି ଦିବ୍ୟ ଜୀବନର ପୁଣ୍ୟ ପର୍ଯ୍ୟଟନ

ଧର୍ମକ୍ଷେତ୍ର କର୍ମକ୍ଷେତ୍ର ଭବେ,

ସାଧି ମହାତପୋବ୍ରତ ଭୁବନପାବନ

ସମାଧିର ପ୍ରଶାନ୍ତ ଉତ୍ସବେ !

ନବଯୁଗେ ଭାରତର ହେ ନବ ମହର୍ଷି

ହେ ଦେବେନ୍ଦ୍ର, ହେ ଦେବ ବ୍ରାହ୍ମଣ,

ବ୍ରହ୍ମପ୍ରାଣ ବ୍ରହ୍ମସଖା ହେ ତତ୍ତ୍ୱଦରଶୀ,

ବ୍ରହ୍ମଭକ୍ତ ହେ ବ୍ରହ୍ମନନ୍ଦନ !

ଯଥାକାଳେ ତେଜି ତନୁ ଅନିତ୍ୟ ସଂସାରେ

ମହାମହେଶଙ୍କ ମହାହ୍ୱାନେ,

ଗଲ ଚାଲି ମହାନନ୍ଦେ ତମଃପରପାରେ

ବିଧାତାର ମଙ୍ଗଳ-ବିଧାନେ ।

Image

 

(୨)

 

ଯୌବନର ଉଷାକାଳେ ଭାଗୀରଥୀ-ତୀରେ

ବିତାମହୀ-ମୃତ୍ୟଶଯ୍ୟାପାଶେ,

ମଜ୍ଜି ପୂର୍ଣ୍ଣିମାର ପୁଣ୍ୟ ଜ୍ୟୋସ୍ନା-ପୟୋଧରେ,

ଜାଗି ପୁଣ୍ୟ ବୈରାଗ୍ୟ-ଉଲ୍ଲାସେ ।

ଲୋଡ଼ିଲ ହେ ଧ୍ୟାନାସନେ ନିସ୍ତବ୍‍ଧ ନିର୍ଜନେ

ଭେଦି ହେଳେ ଏ ଭବତିମିର,

ସେ ପରମ ଜ୍ୟୋତିର୍ମୟ ବ୍ରହ୍ମ ସନାତନେ

ମୂଳାଧାର ଯେ ବିଶ୍ୱସୃଷ୍ଟିର ।

କଠୋର ସଙ୍କଳ୍ପ-ଖଡ଼୍‍ଗେ ଆସକ୍ତିର ପାଶେ

ଛେଦିଲ ହେ ପରମ ନିର୍ଭରେ

ଭସାଇଲ ପ୍ରାଣ-ତରୀ ପରମ ପ୍ରୟାସେ

ଉର୍ଦ୍ଧ୍ୱନେତ୍ରେ ଅନାଇ ଅମ୍ବରେ ।

Image

 

(୩)

 

ଅନନ୍ତର ପରିଚୟ ଅନନ୍ତ ଆକାଶୁ

ଲଭି ଆହେ ଅନନ୍ତ ତନୟ,

ଦେଖି ହେ ଅନନ୍ତ ଦେବେ ଅନନ୍ତ ଜିଜ୍ଞାସୁ,

ଜ୍ଞାନଯୋଗେ ହୋଇଲ ତନ୍ମୟ ।

ଦେଖିଲ ହେ ନିତ୍ୟ ସତ୍ୟ ଜ୍ଞାନମୟ ବ୍ରହ୍ମ

ପରମ ପୁରୁଷ ନିରାକାର,

ବ୍ୟାପିରହିଛନ୍ତି ବିଶ୍ୱ ସ୍ଥାବର ଜଙ୍ଗମ

ଜଡ଼ ଜୀବ ନିଖିଳ ସଂସାର ।

ଅନନ୍ତ ଇଚ୍ଛାର ଲୀଳା ଦରଶନେ ତବ

ତୁଟିଲା ହୃନ୍ଦ-ଗ୍ରନ୍ଥିଚୟ,

ବୁଝିଲ ଅନନ୍ତ ଭୁମା ଧର୍ମର ଗୌରବ

ଦେଖି ପ୍ରାଣେ ସେ ଧର୍ମର ଜୟ ।

Image

 

(୪)

 

ଧର୍ମବୀର କର୍ମବୀର ଶ୍ରୀ ରାମମୋହନେ

ଶୁଣି ତାଙ୍କ ସତ୍ୟପୂତ ବାଣୀ

ସ୍ମରି କ୍ଷୁଦ୍ର ପରିମିତ ପ୍ରତିମା ଅର୍ଚ୍ଚନେ

ତ୍ୟଜିଲ ହେ ପ୍ରାଣେ ବ୍ରହ୍ମ ଜାଣି ।

ମହାକ୍ଷଣେ ମହାମନ୍ତ୍ର ଉପନିଷଦର

‘‘ବ୍ରହ୍ମେ ବିଶ୍ୱ କର ଆଚ୍ଛାଦିତ’’

ଦୈବବାଣୀରୂପେ ତବ ବିମଳ ଅନ୍ତର

ବ୍ରହ୍ମାନନ୍ଦେ କରିଲା ପ୍ଲାବିତ ।

ସେହି ବ୍ରହ୍ମନନ୍ଦ-ସ୍ୱାଦ ଅନୁଭବି ପ୍ରାଣେ

ହୃଦ-ଉତ୍ସୁଁ ଉଠିଲା ଉଚ୍ଛ୍ୱାସି,

ମହାସଂକଳ୍ପର ସ୍ରୋତ ମହେଶ ଆହ୍ୱାନେ,

ଧନ୍ୟ ଧନ୍ୟ ହେ ବ୍ରହ୍ମଦରଶି ।

ଦୀନହୀନ ଅବଜ୍ଞାତ ମୃତ ଭାରତର

ଏକମାତ୍ର ସୁଦା ସଞ୍ଜୀବନୀ,

ପୂର୍ଣ୍ଣବ୍ରହ୍ମ ଉପାସନା ନାହିଁ ଗତ୍ୟନ୍ତର

ଜାଣି ସେହି ଭୁବନପାବନୀ ।

ବ୍ରହ୍ମପୂଜା ପ୍ରଚାରିବା ମହାଲକ୍ଷ୍ୟ ପ୍ରାଣେ

ମହାନାଦେ କରିଣ ଧାରଣ,

ଧର୍ମେ ବ୍ରହ୍ମେ ନିତ୍ୟ ଯୋଗ ବୁଝି ଦିବ୍ୟଜ୍ଞାନେ

ବ୍ରାହ୍ମଧର୍ମ କରିଲ ଗ୍ରହଣ ।

ଗାୟତ୍ରୀର ପୁଣ୍ୟଗାଥା ଓଁକାର ସାଧନା

ୠଷି-ହୃଦୟର ଉଦ୍‌ବୋଧନ,

ସତ୍ୟମନ୍ତ୍ର-ଉଚ୍ଚାରଣେ ବ୍ରହ୍ମ ଆରାଧନା

ଅନନ୍ତେ କ୍ଷୁଦ୍ରର ବିସର୍ଜନ;

ଅନିତ୍ୟର ମୋହପାଶୁଁ ମୁକ୍ତିର ପ୍ରାର୍ଥନା

ପ୍ରାଣାକାଶେ ବ୍ରହ୍ମର ପ୍ରକାଶେ,

ହୃଦେ ସ୍ୱରଗର ଶାନ୍ତି-ମନ୍ତ୍ରର ଧାରଣା

ପ୍ରେମ-ଆଶା-ବିଶ୍ୱାସ-ଆଶ୍ୱାସେ;

ଏ ବ୍ରହ୍ମପୂଜାର ବ୍ରତେ ଶକ୍ତିର ସାଧନା

ଭାରତର ନିଶ୍ଚିତ ଉଦ୍ଧାର,

କି ଆନନ୍ଦ-ବଳେ ଏହି ପରମ ଘୋଷଣା

ଏ ଭାରତେ କରିଲ ପ୍ରଚାର ।

Image

 

(୫)

 

ଏବେ ଧର୍ମ-ପରୀକ୍ଷାର ସଙ୍କଟ-ମୁହୂର୍ତ୍ତ

ସମାଗତି ବିଧିର ବିଧାନେ,

ମହାଧନୀ ମହାଯଶା ପିତା ହେଲେ ମୃତ

ବିଦେଶରେ ଇଂଲଣ୍ଡ ସଂସ୍ଥାନେ ।

‘‘ପିତୃଶ୍ରାଦ୍ଧେ ପାଳ କୁଳଧର୍ମ-କୂଳାଚାରେ’’

ଲୋକମୁଖେ ଏହି ଉପଦେଶ,

‘‘କର ଶ୍ରାଦ୍ଧ ବ୍ରାହ୍ମଧର୍ମ-ବ୍ରତ ଅନୁସାରେ’’

ଅନ୍ତରେ ଘୋଷିତ ବ୍ରହ୍ମାଦେଶ ।

ଏକଆଡ଼େ ସଂସାରିକ ଧର୍ମର ଶାସନ

କେତେ ବିଭୀଷିକା ପ୍ରରୋଚନା,

ଅନ୍ୟଆଡ଼େ ଅନ୍ତରରେ ମହାଧର୍ମ-ରଣ

ବିଭୁପଦେ ବଳର ପ୍ରାର୍ଥନା ।

ଏ ଘୋର ସଂଗ୍ରାମେ ଦିନେ ନିଶା ଅନ୍ଧକାରେ

କ୍ଷୁବ୍‍ଧଚିତ୍ତେ ଶୋଇ ଶଯ୍ୟା-ତଳେ,

ଦେଖିଲି ଅଭୁତ ଦୃଶ୍ୟ ତନ୍ଦ୍ରାର ସଂଜ୍ଞାରେ

ନିଦ୍ରା-ଜାଗରଣ ସନ୍ଧିସ୍ଥଳେ ।

ଛାୟା-ପୁରୁଷର ସରି କେ ଆସି ଡାକଇ

‘‘ଉଠ ଉଠ ଆସ ପଛେ ମୋର’’

ଚଳିଲ ପଶ୍ଚାତେ ତାର ଆଜ୍ଞା ତାର ବହି

ଗୃହଦ୍ୱାର ଫିଟିଲା ସତ୍ୱର ।

ତା ସଙ୍ଗେ ବାହାରି ପଥେ ଆସିଲ ଚକିତେ

ଉର୍ଦ୍ଧ୍ୱକୁ ସେ ଉଠିଲା ଗଗନେ,

ତା ପଛେ ଚଳିଲ ଉର୍ଦ୍ଧ୍ୱେ ତାହାରି ଇଙ୍ଗିତେ

ଭେଦି କେତେ ନକ୍ଷତ୍ରଭୁବନେ ।

ଶେଷେ ଉତ୍ତରିଲ ଏକ ଶ୍ୱେତ ଶୁଭ୍ର ଦେଶେ

ଉଦ୍ଭାସିତ ପ୍ରଶାନ୍ତ ଜ୍ୟୋତିରେ,

ଭ୍ରମୁ ଭ୍ରମୁ ତହିଁ ଦିବ୍ୟପୁରୁଷ ଆଦେଶେ

ପ୍ରବେଶିଲ ପ୍ରଶସ୍ତ ମନ୍ଦିରେ ।

ସେ ନସ୍ତବ୍‍ଧ ଗୃହେ ପଶି ଦେଖିଲ ସେ ଛାୟା

ଲୀନ ହୋଇଗଲା ଆଚମ୍ବିତେ !

ଏ କି ଇନ୍ଦ୍ରଜାଲ; କି ଅଭୁତ ମାୟା,

ଭାଳୁଛି ବିସ୍ମୟ-ସ୍ତବ୍‍ଧ ଚିତ୍ତେ ।

ଏ ସମୟେ ଅପସାରି ଦ୍ୱାର-ଯବନିକା

ଉଭାହେଲେ ସମ୍ମୁଖେ ତୁମ୍ଭର,

ତୁମ୍ଭରି ଜନନୀ ଯେହ୍ନେ ଜ୍ଞାନାନଳ-ଶିଖା

ନାଶିବାକୁ ସଂଶୟ ପ୍ରାଣର ।

ଭାଷିଲେ ‘‘ରେ ବତ୍ସ ! ତୋତେ ଦେଖିବାର ପାଇଁ

ଡକାଇ ଆଣିଲି ଏଥି ଆଜ,

ଫିଟିଛି ତୋ ପ୍ରଜ୍ଞା-ନେତ୍ର ବ୍ରହଜ୍ଞାନ ପାଇ

ଯାଉ ଭାଜି ତୋର ଭୟ ଲାଜ ।

ଜନନୀ କୃତାର୍ଥ ତୋର, କୁଳ ପବିତ୍ରିତ,

ଧନ୍ୟ ତୁହିରେ କୁଳପାବନ’’

ଶୁଣନ୍ତେ ଏ ଦିବ୍ୟବାଣୀ ପରମ ନିଶ୍ଚିତେ

ଆନନ୍ଦରେ ଭାଜିଲା ସ୍ୱପନ ।

Image

 

(୬)

 

ବଢ଼ିଥିଲା ଏତେ କାଳ ବିଭବ-କ୍ରୋଡ଼ରେ

ସଂସାରର ସୌଭାଗ୍ୟ-ସମ୍ପଦେ,

ଭାଗ୍ୟଚକ୍ର ଆବର୍ତ୍ତନେ କ୍ଷଣକଭିତରେ

ଦଶ ଦିଗ ଆଚ୍ଛନ୍ନ ବିପଦେ ।

ନିଦାରୁଣ କୁଳ-ୠଣ ଶୁଝିବାର ପାଇଁ

ଗମ୍ଭୀର ପ୍ରଶାନ୍ତ ମାନସରେ

ସକଳ ସମ୍ପତ୍ତି ହେଳେ ଦେଲ ହେ ଭସାଇ

ଅକୁଣ୍ଠିତ ସନ୍ତୋଷରେ ।

ସରଳ ନିର୍ମଳ ପ୍ରାଣେ ବିଭୁପଦ ଧ୍ୟାୟି

ଅନୁସରି ବୈରାଗ୍ୟ ଅଭୟେ

କଠୋର ସଂଯମେ ପୁଣି ପ୍ରାଣ-ତରୀ ବାହି

ପ୍ରବେଶିଲ ସୌଭାଗ୍ୟ-ଆଳୟେ ।

Image

 

(୭)

 

ନିର୍ମଳ ସବଳ ମୁକ୍ତ ଜ୍ଞାନେ ସମୁଜ୍‍ଜ୍ଜଳ

ହେ ମହର୍ଷେ, ତବ ମହାପ୍ରାଣ,

ଭକ୍ତିଭରେ ଦେବ, ଉପନିଷଦ ସକଳ

କରିଲ ହେ ଅଧ୍ୟୟନ ଧ୍ୟାନ ।

ସେ ଶାସ୍ତ୍ର-ସାଗରୁ କେତେ ମହାପ୍ରବଚନ

ଊଦ୍ଧାରିଲ ଶିଷ୍ୟୋଚିତ ଚିତ୍ତେ,

କିନ୍ତୁ ସେଥି ମଧ୍ୟେ ଦେଖି ଅଯୋଗ୍ୟ କଳ୍ପନା

ଲୋଡ଼ିଲେ ହେ ଜଗତତ ହିତେ,

ଧର୍ମର ପତ୍ତନ-ଭୂମି ଏକାଗ୍ର ଅନ୍ତରେ

ପ୍ରତ୍ୟେକ୍ଷ ସତ୍ୟର ପ୍ରତୀକ୍ଷାରେ,

ସହସା ଅମୃତ ଜ୍ୟୋତି ପୁଣ୍ୟ ଅବସରେ

ସ୍ଫୁରି ପ୍ରାଣେ ତମଃ ପରପାରେ

ଦେଖାଇଲା ତବ ତପଃ-ମାର୍ଜିତ ନୟନେ

ଧରମର ପୁଣ୍ୟ ଅଧିଷ୍ଠାନ,

ସତ୍ୟପ୍ରାର୍ଥୀ ବ୍ରହ୍ମପ୍ରାର୍ଥୀ ହୃଦୟ-ଗଗନେ

ବ୍ରହ୍ମଯଜ୍ଞାନଳେ ଦୀପ୍ୟମାନ ।

Image

 

(୮)

ଯୋଗଯୁକ୍ତ ହେ ତପସ୍ୱି, ଧରମର ମୂଳ

ଦେଖି ଶୁଦ୍ଧ ଆତ୍ମପ୍ରତ୍ୟୟରେ,

ଜ୍ଞାନେ ପ୍ରେମେ ସୁଭାସ୍ୱର ବ୍ୟଖ୍ୟାନ ଅତୁଳ

ରଚିଲ ହେ ବିଶ୍ୱାସ ନିର୍ଭରେ ।

ଘୋଷିଲ ହେ ଶୁଦ୍ଧ ସତ୍ୟ ପବିତ୍ର ଭାଷାରେ

ଧରମର ଅମୃତ ସମ୍ବାଦ,

ଧର୍ମାନ୍ୱେଷୀ କେତେ ସାଧୁ ସ୍ୱର୍ଗୀୟ ଆଶାର;

ଲୋଡ଼ିଲେ ହେ ତବ ଆଶୀର୍ବାଦ ।

ପ୍ରାଣାଧିକ ଶ୍ରୀକେଶବ ବରି ପୁତ୍ରପଦେ

ବ୍ରହ୍ମାନନ୍ଦ ନାମ ସମ୍ବୋଧନେ,

ଧନ୍ୟ କଲ ଯେ ଅତୁଳ ପ୍ରେମର ସମ୍ପଦେ

ଏ ଭୁବନ ଧନ୍ୟ ସେହି ଧନେ ।

ପ୍ରଶାନ୍ତ ଗମ୍ଭୀରଚେତା ରାଜନାରାୟଣ

ଧନ୍ୟ ହେଲେ ତବ ସଙ୍ଗଲାଭେ,

ମହତ ଅଥବା କ୍ଷୁଦ୍ର କେତେ କେତେ ଜନ

ହୋଇଲେ କୃତାର୍ଥ ମହାଭାବେ ।

Image